Home ଦେଶ ବିଦେଶ ଷ୍ଟାଲିନଙ୍କ ଭରସା ‘କରୁଣାନିଧି କାର୍ଡ’

ଷ୍ଟାଲିନଙ୍କ ଭରସା ‘କରୁଣାନିଧି କାର୍ଡ’

ଚେନ୍ନଇ : ଡିଏମକେ ସୁପ୍ରିମୋ ଏମ୍ କରୁଣାନିଧିଙ୍କ ପରଲୋକର କିଛି ଦିନ ପରେ ତାଙ୍କ ଜନ୍ମିତ ସନ୍ତାନ ଏମ୍କେ ଷ୍ଟାଲିନ ଓ ଏମ୍କେ ଆଲାଗିରିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପଛରେ ଦଳର ନେତୃତ୍ୱ କାହା ହାତକୁ ଯିବ ତାହା ସାମ୍ନାକୁ ଆସୁଛି । ଷ୍ଟାଲିନଙ୍କ ବଡଭାଇ ହେଲେ ଆଲାଗିରି । ତାଙ୍କ ପଛରେ କରୁଣାନିଧିଙ୍କ ସଚ୍ଚା ଅନୁଗତମାନେ ଅଛନ୍ତି ବୋଲି ସେ ଦାବି କରିଛନ୍ତି । ମଦୁରାଇ ଠାରେ କେତେକ ପୋଷ୍ଟରରେ ସୂଚନା ଦିଆଯାଇଛି ଆଲାଗିରି କଲାଇନାର ଡିଏମକେ ନାମରେ ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିବାକୁ ଯାଉଛନ୍ତି । ଅପରପକ୍ଷେ ଡିଏମକେ ପକ୍ଷରୁ କରୁଣାନିଧିଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ପାଇଁ ଅନୁଷ୍ଠିତ ବୈଠକରେ ଷ୍ଟାଲିନ ଦଳର ପରବର୍ତ୍ତୀ ସଭାପତି ଭାବେ ଅବସ୍ଥାପିତ ହେବାକୁ ବହୁବକ୍ତା ଯୁକ୍ତି ରଖିଥିଲେ । କରୁଣାନିଧିଙ୍କ ଜୀବଦଶାରେ ସେ ମାରିନା ବିଚ୍ରେ ଶେଷ ବିଶ୍ରାମ ନେବା ପାଇଁ ଏକଦା ଇଚ୍ଛାପ୍ରକଟ କରିଥିଲେ । ଆଜ୍ଞାଧୀନ ପୁତ୍ର ଭାବରେ ଷ୍ଟାଲିନଙ୍କ ଏ ଦିଗରେ ଉଦ୍ୟମ ଉଲ୍ଲେଖନୀୟ । କାରଣ ଡିଏମକେର ଏହି ନେତା ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଇ. ପଲାମିସ୍ୱାମୀଙ୍କ ନିକଟକୁ ଯାଇ ଅନୁରୋଧ କରିବାରୁ ଉତ୍ତର ମିଳିଥିଲା ଏ କ୍ଷେତ୍ରରେ ଆଇନଗତ ପ୍ରତିବନ୍ଧକ ରହିଛି । ଉତ୍ତରରେ ଷ୍ଟାଲିନ କହିଥିଲେ କ୍ଷମତାସୀନ ସରକାର ଯଦି ଏ ଦିଗରେ ଇଛା କରିବେ ନ୍ୟାୟିକପକ୍ଷ ବାଧା ସୃଷ୍ଟି କରିବେ ନାହିଁ । ଏହା ପରେ ପଲାନିସ୍ୱାମୀ ଏ ପ୍ରସଙ୍ଗରେ ବିବେଚନା କରିବେ ବୋଲି ଆଶ୍ୱସନା ଦେଇଥିଲେ ବି ପରଦିନ ମାରିନାରେ ଶେଷକୃତ୍ୟ ଲାଗି ଯାଗା ମିଳିବ ନାହିଁ, ମୁଖ୍ୟମନ୍ତ୍ରୀ ରୋକଠୋକ ଶୁଣାଇଥିଲେ । କିନ୍ତୁ ସରକାରଙ୍କ ଆପତ୍ତିକୁ ମାଡ୍ରାସ ହାଇକୋର୍ଟ ପ୍ରତ୍ୟାଖାନ କରିବା ଫଳରେ ମାରିନାବିଚରେ କରୁଣାନିଧିଙ୍କ ସମାଧିସ୍ଥଳ ଲାଗି ବାଟ ପରିଷ୍କାର ହୋଇଯାଇଥିଲା । ନିଜର ରାଜନୈତିକ ଗୁରୁ ସିଏନ ଆନାଦୁରାଇଙ୍କ ସମାଧିସ୍ଥଳ ନିକଟରେ ପରିଶେଷରେ କରୁଣାନିଧିଙ୍କ ସମାଧିସ୍ଥଳ ସ୍ଥିରିକୃତ ହୋଇଥିଲା । ନିକଟରେ ଏକ ବୈଠକରେ ସୁପରଷ୍ଟାର ରଜନୀକାନ୍ତ ଏ ପ୍ରସଙ୍ଗ ନେଇ ପଲାନିସ୍ୱାମୀ ସରକାର ବିରୋଧରେ ଖୁବ୍ ବର୍ଷୀଛନ୍ତି । କାରଣ କରୁଣାନିଧିଙ୍କ ଶେଷକୃତ୍ୟ ବେଳେ ପ୍ରଧାନମନ୍ତ୍ରୀ, ରାହୁଳ ଗାନ୍ଧୀ ଓ ଅନ୍ୟାନ୍ୟ ରାଜ୍ୟର ବହୁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳମାନେ ଶେଷଦର୍ଶନ ଲାଗି ଆସିଥିଲେ ମଧ୍ୟ ଖୋଦ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସେଠାରେ ଅନୁପସ୍ଥିତ ଥିଲେ । ଏପରିକ ତାଙ୍କ କ୍ୟାବିନେଟର କୌଣସି ମନ୍ତ୍ରୀ ଉପସ୍ଥିତ ନଥିଲେ । ନିକଟରେ ଷ୍ଟାଲିନ କ୍ଷୋଭପୂର୍ଣ୍ଣ ଆବେଗରେ କହିଥିଲେ ମାରିନାଠାରେ ଯଦି କଲାଇନାର (କରୁଣାନିଧି) ଙ୍କୁ ସମାଧି ଦିଆଯାଇପାରିନଥାନ୍ତା ତେବେ ପ୍ରଚଣ୍ଡ ଦୁଃଖରେ ତାଙ୍କର ମୃତ୍ୟୁ ହୋଇଯାଇଥାନ୍ତା । ତେବେ ଷ୍ଟାଲିନଙ୍କ ଭାଇ ଆଲାଗିରି ଦାବି କରିଛନ୍ତି ରଜନୀକାନ୍ତଙ୍କ ସହ ନିଜେ ମିଶି କାମ କରିଥିବା ହେତୁ ତାହା ଉଲ୍ଲେଖନୀୟ । କିନ୍ତୁ ଏହି ଅଭିନେତା ଆଲାଗିରିଙ୍କ ସପକ୍ଷରେ ଯିବାକୁ ପସନ୍ଦ କରିନାହାନ୍ତି ଅଧିକନ୍ତୁ ଷ୍ଟାଲିନଙ୍କ ସହ ବ୍ୟକ୍ତି ଭାବାବେଗ ସହିତ ଯୋଡି ହୋଇଛନ୍ତି । ରାଜନୈତିକ ବିଶ୍ଲେଷକମାନେ ମନ୍ତବ୍ୟ ରଖିଛନ୍ତି ଆଲାଗିରି ନିଜ ସପକ୍ଷରେ କରୁଣାନିଧି ସଚ୍ଚା ଅନୁଗତ ମାନେ ଅଛନ୍ତି ବୋଲ ଯାହା ଦାବି କରୁଛନ୍ତି ତାହା ତାଙ୍କର ନିଷ୍ଫଳ ପ୍ରୟାସ ମନେ କରାଯାଉଛି । କାରଣ ସମସ୍ତେ ଜାଣନ୍ତି ଡିଏମକେ ଆଲାଗିରିଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସସ୍ପେଣ୍ଡ କରିସାରିଛି । କରୁଣାନିଧି ଜୀବିତାଅବସ୍ଥାରେ ଏହା ଘଟିଛି । ତାଛଡା ଷ୍ଟାଲିନ ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦୀର୍ଘଦିନ ହେବ କାର୍ଯ୍ୟ କରିଆସୁଛନ୍ତି । ସଂପ୍ରତି କରୁଣାନିଧିଙ୍କ ପ୍ରତି ପଲାନିସ୍ୱାମୀ ସରକାରଙ୍କ ଦୃଷ୍ଟିଭଙ୍ଗୀ କିଭଳି ପ୍ରତିକୂଳ ସ୍ଥିତିରେ ରହିଛି ତାହାର ନଜିର ରାଜ୍ୟବାସୀଙ୍କ ନଜରରୁ ଖସିଯାଇ ନାହିଁ । ଦୀର୍ଘ ଦିନ ହେବ ଏଆଇଏଡିଏମକେରେ ଦୃଶ୍ୟମାନ ହେଉଥିବା ଦୁର୍ବଳ ନେତୃତ୍ୱ ପରିପ୍ରେକ୍ଷୀରେ ୨୦୧୯ ସାଧାରଣ ନିର୍ବାଚନ ବେଳେ ଷ୍ଟାଲିନ ଯେତେଦୂର ସମ୍ଭବ କରୁଣାନିଧିଙ୍କ କାର୍ଡ ଖେଳିବା ନିଶ୍ଚିତ ।