Home ଦେଶ ବିଦେଶ କେରଳ ଉଦ୍ଧାର ଓ ରିଲିଫ ଅଭିଯାନ ଜାରି: ପରିସ୍ଥିତି ସମୀକ୍ଷା କଲେ ଜାତୀୟ ସଙ୍କଟ ପରିଚାଳନା...

କେରଳ ଉଦ୍ଧାର ଓ ରିଲିଫ ଅଭିଯାନ ଜାରି: ପରିସ୍ଥିତି ସମୀକ୍ଷା କଲେ ଜାତୀୟ ସଙ୍କଟ ପରିଚାଳନା କମିଟି

ଥିରୁଭନନ୍ଥପୁରମ୍: କେରଳର ବନ୍ୟା ପ୍ରଭାବିତ ଅଂଚଳରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ କ୍ରମାଗତ ପଂଚମ ଦିନରେ ଆଜି ଦିଲ୍ଲୀରେ ଜାତୀୟ ସଙ୍କଟ ପରି•ଳନା କମିଟିି (ନ୍ୟାସନାଲ କ୍ରାଇସିସ ମ୍ୟାନେଜମେଂଟ କମିଟି)ର ବୈଠକ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ସଚିବ ପି.କେ. ସିହ୍ନା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ କେରଳର ମୁଖ୍ୟ ସଚିବ ବୈଠକରେ ଭାଗ ନେଇଥିଲେ । ବର୍ଷା କମିବା ଯୋଗୁ ବନ୍ୟା ଜଳ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଆଜି ୧୦୦ ମେଟ୍ରିକ ଟନ୍ ଡାଲି କେରଳକୁ ପଠାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୫୨ ମେଟ୍ରିକ ଟନ୍ ଜରୁରି ଔଷଧ ବିମାନ ଯୋଗେ ପଠାଇ ସାରିଛି । ଅତିରିକ୍ତ ୨୦ ମେଟ୍ରିକ ଟନ୍ ଔଷଧ ଆଜି ରାତି ସୁଦ୍ଧା ପହଂଚିବ । ଆସନ୍ତାକାଲି ସୁଦ୍ଧା ୨୦ ମେଟ୍ରିକ ଟନ୍ ବ୍ଲିଚିଙ୍ଗ ପାଉଡର ଏବଂ ଏକ କୋଟି କ୍ଲୋରିନ୍ ଟାବଲେଟ ପଠାଯିବ । ୧୨ଟି ଅତିରିକ୍ତ ମେଡିକାଲ ଟିମ୍ ପ୍ରସ୍ତୁତ ରଖାଯାଇଛି । ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ରୋଗ ବ୍ୟାପିବାର ସୂଚନା ମିଳିନାହିଁ । ବିଦ୍ୟୁତ ଯୋଗାଯୋଗ ପୁନଃସ୍ୱାଭାବିକ କରିବାକୁ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଇଲେକ୍ଟ୍ରି ମିଟର, ତାର ଏବଂ ଟ୍ରାନ୍ସଫର୍ମର ପଠାଯାଇଛି । ୨୬୦୦ ମେଗାୱାଟ ବିଦ୍ୟୁତ ସୃଷ୍ଟି ହୋଇପାରୁଛି ଏବଂ ବଂଟନରେ କୌଣସି ଅସୁବିଧା ହୋଇନାହିଁ । ରାଜ୍ୟରେ ମୋଟ ୮୪ ହଜାର ଟେଲିକମ୍ ଟାୱାର ଥିବା ବେଳେ ଏ ପର୍ଯ୍ୟନ୍ତ ୭୭,୦୦୦ ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଥିବା ଦୂରସଂଚାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୧୪୦୭ଟି ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍ୟରୁ ମାତ୍ର ୧୩ଟି ଏବେ ଅଚଳ ରହିଛି । ନିଖୋଜ ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ପାଇବାକୁ ଦୂରସଂଚାର ବିଭାଗ ପକ୍ଷରୁ ହେଲ୍ପ ଲାଇନ ନମ୍ବର ୧୯୪୮ ଖୋଲାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ୧୨ ହଜାର ଲିଟର କିରାସିନର ବ୍ୟବସ୍ଥା କରାଯାଇଥିବା ବେଳେ ବଂଟନ ପାଇଁ ଯଥେଷ୍ଟ ସଂଖ୍ୟକ ଏଲପିଜି ସିଲିଣ୍ଡର ଉପଲବ୍ଧ କରାଯାଇଛି । ଆବଶ୍ୟକ ପରିମାଣର ବିମାନ ଜାଳେଣି ମଧ୍ୟ ଯୋଗାଇ ଦିଆଯାଇଛି । ୪୫୦ ମେଟ୍ରିକ ଟନ୍ ଗୋଖାଦ୍ୟ ରାଜ୍ୟକୁ ପଠାଯାଇଛି । ଗୃହପାଳିତ ପଶୁଙ୍କ ପାଇଁ ଦୁଇ ଥର ଆବଶ୍ୟକ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି । ଆବଶ୍ୟକ ପାନୀୟ ଜଳ ଯୋଗାଇ ଦେବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ରିଲିଫ ସାଗମ୍ରୀ ମାଗଣାରେ ପରିବହନ ସକାଶେ ପ୍ରତିଶ୍ରୁତି ଦିଆଯାଇଛି । ପଶୁପାଳନ ବିଭାଗ ପକ୍ଷରୁ ଆବଶ୍ୟକ ଦୁଗ୍ଧ ଓ ଦୁଗ୍ଧ ପାଉଡର ଯୋଗାଇ ଦିଆଯାଉଛି । ଏନସିଏମସି ବୈଠକରେ ସ୍ୱାସ୍ଥ୍ୟ, ଖାଉଟି ବ୍ୟାପାର, ଦୂରସଂଚାର, ଖାଦ୍ୟ ଓ ସାଧାରଣ ବଂଟନ, ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବଙ୍କ ସମେତ ପ୍ରତିରକ୍ଷା ବିଭାଗ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଏନଡିଏମ୍ଏ)ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।