Home ଦେଶ ବିଦେଶ କୋଫି ଆନନ୍ଙ୍କ ପରଲୋକ

କୋଫି ଆନନ୍ଙ୍କ ପରଲୋକ

ଜେନିଭା : ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ଶାନ୍ତିପାଇଁ ନୋବେଲ ସମ୍ମାନରେ ସମ୍ମାନିତ କୋଫି ଆନନ୍ଙ୍କର ଶନିବାର ସ୍ୱିଜରଲାଣ୍ଡରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବିଶ୍ୱରେ ଶାନ୍ତିପ୍ରତିଷ୍ଠା ଦିଗରେ ତାଙ୍କର ଉଦ୍ୟମ ଅବିସ୍ମରଣୀୟ ହୋଇରହିଛି । ସେ ଥିଲେ ଜାତିସଂଘର ପ୍ରଥମ ଆଫ୍ରିକୀୟ କୃଷ୍ଣକାୟ ମହାସଚିବ । ସ୍ୱିଜରଲାଣ୍ଡସ୍ଥିତ କୋଫି ଆନନ୍ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗତ କିଛିଦିନ ଧରି ସେ ଅସୁସ୍ଥ ରହିଥିଲେ । ଜାତିସଂଘର ମହାସଚିବ ରହିଥିବାବେଳେ ସେ ବିଶ୍ୱର ଗରିବ ଓ ଦୁର୍ବଳ ଦେଶମାନଙ୍କୁ ସହାୟତା ପାଇଁ ଜାତିସଂଘର କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିଥିଲେ । ସେ ୧୯୯୭ ଜାନୁଆରୀ ୧ରୁ ୨୦୦୬ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାତିସଂଘର ମହାସଚିବ ରହିଥିଲେ । ୨୦୦୧ରେ ଜାତିସଂଘ ଓ ତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତିପୁରସ୍କାରରେ ସମ୍ମାନିତ କରାଯାଇଥିଲା । କୋଫି ଆନନ୍ ୧୯୩୮ ମସିହା ଏପ୍ରିଲ ୮ ତାରିଖରେ ଘାନାର କୁମାସିଠାରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଘାନାର ଏକ ରାଜ୍ୟର ଗଭର୍ଣ୍ଣର ରହିଥିଲେ । ଯୁଦ୍ଧ ପ୍ରଭାବିତ କ୍ଷେତ୍ରରେ ଶାନ୍ତିସ୍ଥାପନା ଓ ପ୍ରବାସୀଙ୍କୁ ପୁଣିଥରେ ପୁନର୍ବାସ ଯୋଗାଇ ଦେବା ପାଇଁ ବିଶ୍ୱସ୍ତରରେ ହୋଇଥିବା ଅନେକ କାର୍ଯ୍ୟକ୍ରମର ସେ ନେତୃତ୍ୱ ନେଇଥିଲେ । ନିକଟ ଅତୀତରେ ସେ ରୋହିଙ୍ଗ୍ୟା ଓ ସିରିଆ ଶରଣାର୍ଥୀ ସଙ୍କଟର ସମାଧାନ ପାଇଁ କାମ କରୁଥିଲେ । ସିରିଆ ସଙ୍କଟର ସମାଧାନ ପାଇଁ ସେ ସିରିଆ ରାଷ୍ଟ୍ରପତି ବସର ଅଲ ଅସଦ୍ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଇଂରାଜୀ, ଫ୍ରେଞ୍ଚ୍ ଓ ଅନ୍ୟାନ୍ୟ ଆଫ୍ରିକୀୟ ଭାଷାରେ ସେ ଭଲଭାବେ କଥା ହୋଇ ପାରୁଥିଲେ । ଗୋଟିଏ ସମୟରେ ସେ ସମଗ୍ର ବିଶ୍ୱରେ ଶାନ୍ତିଦୂତ ଭାବେ ମାନ୍ୟତା ପାଇଥିଲେ । ତାଙ୍କ ବିୟୋଗରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରମୁଖ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି ।