Home ଦେଶ ବିଦେଶ କୋଲକାତାରେ ଭୁଶୁଡିଲା ଫ୍ଲାଏଓଭର

କୋଲକାତାରେ ଭୁଶୁଡିଲା ଫ୍ଲାଏଓଭର

କୋଲକାତା : ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁଁ କୋଲକାତାର ଡାଇମଣ୍ଡ ହାରବରରେ ଥିବା ମାଜେରହାଟ୍ ଫ୍ଲାଏଓଭରର କିଛି ଅଂଶ ମଙ୍ଗଳବାର ଅପରାହ୍ନରେ ଭୁଶୁଡିପଡିବା ଫଳରେ ଜଣଙ୍କର ମୃତ୍ୟୁଘଟିଛି । ଅନ୍ୟ ୯ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଫ୍ଲାଏଓଭର ଭୁଶୁଡିବା ସମୟରେ ଏହା ଉପରେ ଓ ତଳେ ଅନେକ ଲୋକ ଯିବାଆସିବା କରୁଥିବାରୁ ଧ୍ୱଂସାବଶେଷ ତଳେ ବହୁ ଲୋକ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ତେବେ ବେସରକାରୀ ଭାବେ ମୃତ୍ୟୁସଂଖ୍ୟା ୫ କୁହାଯାଉଥିବା ବେଳେ ବହୁ ଲୋକ ଫ୍ଲାଏଓଭରର ଭଙ୍ଗାଅଂଶତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏହି ବ୍ରିଜ୍ ଭୁଶୁଡିପଡିବା ଫଳରେ ଏହା ତଳେ ରହିଥିବା ମିନିବସ୍, ବାଇକ୍ ଓ କାର୍ ଭାଙ୍ଗିରୁଜି ଯାଇଥିବା କୁହାଯାଉଛି । ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ସେନା ସହ ଏନଡିଆରଏଫର ୩ଟି ଟିମ୍କୁ ମୁତୟନ କରାଯାଇଛି । ସେହିଭଳି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ପଶ୍ଚିମବଙ୍ଗ ପୋଲିସକୁ ମଧ୍ୟ ସାମିଲ କରାଯାଇଛି । ସଂଧ୍ୟା ହୋଇଯାଇଥିବାରୁ ତଥା ଦୁର୍ଘଟଣା ସ୍ଥଳରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଥିବା କୁହାଯାଉଛି । ତେବେ ଦାର୍ଜିଲିଂରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କୋଲକାତା ମେୟରଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଏବେ ଉଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ସାମଗ୍ରିକ ପରିସ୍ଥିତି ଉପରେ ନଜର ରଖାଯାଇଛି । ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ରାଜ୍ୟ ସୁରକ୍ଷା ବିଭାଗ ମୁଖ୍ୟ, ଅଗ୍ନିଶମ ବିଭାଗ ମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପହଞ୍ôଚ ସ୍ଥିତିର ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ତେବେ ଏହି ଦୁର୍ଘଟଣାରେ କେତେ ଲୋକଙ୍କର ପ୍ରକୃତରେ ମୃତ୍ୟୁ ଘଟିଛି ସେ ନେଇ କୌଣସି ସୂଚନା ମିଳିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୬ରେ ଅନୁରୂପ ଭାବେ କୋଲକାତାରେ ବିବେକାନନ୍ଦ ଫ୍ଲାଏଓଭର ଭୁଶୁଡି ୨୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୬ରୁ ଉଦ୍ଧ୍ୱର୍ ଗୁରୁତର ହୋଇଥିଲେ । ଏହି ଫ୍ଲାଏଓଭରଟି ୪୦ ବର୍ଷର ପୁରୁଣା ହୋଇଥିବା ବେଳେ ଏହାର ମରାମତି ଅଭାବରୁ ଏଭଳି ଅଘଟଣ ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋରଧରିଛି ।