Home ଦେଶ ବିଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ

ଇସ୍ଲାମାବାଦ : ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଇମ୍ରାନ ଖାଁ ଶପଥ ଗ୍ରହଣ କରିଛନ୍ତି । ଇସଲାମାବାଦସ୍ଥିତ ପ୍ରେସିଡେଣ୍ଟ ହାଉସରେ ନିରାଡମ୍ବର ଉତ୍ସବରେ ସେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ମାମୁନ୍ ହୁସେନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ୧୯୯୬ ମସିହାରେ ‘ତେହେରିକ-ଏ-ଇନସାଫ’ ଦଳ ଗଠନ କରି ରାଜନୀତିରେ ପାଦ ଥାପି ଥିବା ଇମ୍ରାନ ୨୨ ବର୍ଷ ଧରି ସଂଘର୍ଷ କରିବା ପରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି । ୧୯୯୨ ମସିହାରେ ସେ ପାକିସ୍ତାନ ପାଇଁ କ୍ରିକେଟ ବିଶ୍ୱକପ ଜିତିଥିଲେ । ସେତେବେଳେ ସେ ପାକିସ୍ତାନ ଟିମର ଅଧିନାୟକ ଥିଲେ । ଗତ ଜୁଲାଇ ୨୫ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ତେହେରିକ-ଏ-ଇନସାଫ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ତାଙ୍କ ଦଳ ସଂଗ୍ରହ କରିପାରିନଥିଲା । ଫଳରେ ସେ ସରକାର ଗଠନ କରିପାରିବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ଲାଗି ରହିଥିଲା । ଶୁକ୍ରବାର ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଇମ୍ରାନ ଖାନ୍ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ ।ଇମ୍ରାନଙ୍କ ଦଳକୁ ୧୭୬ ସାଂସଦଙ୍କ ସମର୍ଥନ ମିଳିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ମୁସଲିମ-ଇ ଲିଗ୍ଏନ(ପିଏମଏଲଏନ)କୁ ମାତ୍ର ୯୭ଟି ଭୋଟ ମିଳିଥିଲା । ଇମ୍ରାନଙ୍କ ଶପଥଗ୍ରହଣ ଉତ୍ସବରେ ଭାରତର ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ସାମିଲ ହୋଇଥିଲେ । ସିଦ୍ଧୁ ଶୁକ୍ରବାର ପାକିସ୍ତାନ ଗସ୍ତ କରିଥିଲେ । କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କୁ ବି ଇମ୍ରାନଙ୍କ ଦଳ ନିମନ୍ତ୍ରଣ କରିଥିଲା । କିନ୍ତୁ ଏହି ଦୁଇ କ୍ରିକେଟର ସେଠାକୁ ଯାଇନାହାନ୍ତି । ଇମ୍ରାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମଧ୍ୟ ତାଙ୍କ ଆଗରେ ବହୁ ଚ୍ୟାଲେଞ୍ଜ ରହିଛି । ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଥିବାବେଳେ ଦୁର୍ନୀତି ମଧ୍ୟ ବଢ଼ି ବଢ଼ି ଚାଲିଛି । ଅନ୍ୟପକ୍ଷରେ ଆତଙ୍କବାଦ ପାକିସ୍ତାନର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଇମ୍ରାନ ଏହାର କିପରି ମୁକାବିଲା କରିବେ ତାକୁ ହିଁ ଦେଶବାସୀ ଅପେକ୍ଷା କରିଛନ୍ତି । ଅନ୍ୟପକ୍ଷରେ ଭାରତର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ସାଂସଦ ନବଜ୍ୟୋତ ସିଂ ସିଦ୍ଧୁ ପାକ୍ ସ୍ଥଳ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରିବା ଘଟଣାକୁ ନେଇ ଦେଶରେ ବିବାଦ ଦେଖା ଦେଇଛି । ଆତଙ୍କୀ ଘଟଣାକୁ ମନେ ପକାଇ ଲୋକେ ସାମାଜିକ ଗଣମାଧ୍ୟମରେ ସିଦ୍ଧୁଙ୍କୁ ପ୍ରଶ୍ନ କରୁଛନ୍ତି । ଏପରିକି ସିଦ୍ଧୁଙ୍କ ନିଜ ଦଳ କଂଗ୍ରେସ ମଧ୍ୟ ତାଙ୍କର ଏପ୍ରକାର ଆଚରଣକୁ ପସନ୍ଦ କରିନାହିଁ । ତେବେ ସଫେଇରେ ସିଦ୍ଧୁ କହିଛନ୍ତି ଯେ, ସ୍ଥଳସେନା ମୁଖ୍ୟ ମୋତେ ଆଲିଙ୍ଗନ କରିବା ସହ ସେମାନେ ଶାନ୍ତି ଚାହୁଁଥିବା କହିଥିଲେ ।