Home ମନୋରଞ୍ଜନ ରବୀନ୍ଦ୍ର ମଣ୍ଡପରେ ଭକ୍ତ ସାଲବେଗ

ରବୀନ୍ଦ୍ର ମଣ୍ଡପରେ ଭକ୍ତ ସାଲବେଗ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସବୁଧର୍ମ ଓ ସବୁ ସମ୍ପ୍ରଦାୟର ପରମପୂଜ୍ୟ ଠାକୁର । ବ୍ରାହ୍ମଣଠାରୁ ଚଣ୍ଡାଳ ଯାଏ, ହିନ୍ଦୁଠାରୁ ମୁସଲମାନ୍, ଖ୍ରୀଷ୍ଟିଆନ୍ ଓ ଶିଖ୍ ଯାଏଁ ସମସ୍ତେ ତାଙ୍କୁ ଜଗତର ନାଥ ରୂପେ ଗ୍ରହଣ କରିଥାନ୍ତି । ଭକ୍ତ ସାଲବେଗ ସେହି ମୋଗଲ ଯୁଗର କାହାଣୀ । କଟକର ସୁବେଦାର୍ ଲାଲବେଗଙ୍କ ପୁଅ ସାଲବେଗ । ମା’ତାର ଥିଲା ହିନ୍ଦୁ ବ୍ରାହ୍ମଣୀ; ମାତୃଶକ୍ତି ଓ ଐଶ୍ୱରିକ ଶକ୍ତିର ପ୍ରଭାବରେ ବୀର ଯୋଦ୍ଧା ସାଲବେଗ ସାଜିଲା ଜଣେ ଭକ୍ତ ଶିରୋମଣି । ବାଲେଶ୍ୱର ସୁନହାଟଠାରେ ଆଫ୍ଗାନମାନଙ୍କ ସହ ଯୁଦ୍ଧ କରୁ କରୁ ଲହୁଲୁହାଣ ହୋଇ କଟକ ଲାଲବାଗକୁ ସେ ସ୍ଥାନାନ୍ତରିତ ହେଲେ । ଶ୍ରୀଜଗନ୍ନାଥଙ୍କ କୃପାରୁ ମୃତ୍ୟୁମୁଖରୁ ବଞ୍ôଚ ସେ ହେଲେ ଭକ୍ତ ଓ କବି । ଶ୍ରୀକ୍ଷେତ୍ରର ବଳଗଣ୍ଡିଠାରେ ପଲାମାରି ରହି ଶ୍ରୀଜଗନ୍ନାଥଙ୍କ ପତିତପାବନ ମୂର୍ତ୍ତି ଦର୍ଶନ କରି ସେ ନିର୍ମାଣ ଶିଖିଲେ ଓ ଗାଇଲେ । ଆଜି ବି ବଳଗଣ୍ଡିଠାରେ ତାଙ୍କ ପ୍ରତିଷ୍ଠିତ ଛତାମଠ ଜଗନ୍ନାଥ ସଂସ୍କୃତିର ବାର୍ତ୍ତା ବହନ କରେ । ଆଜି ମଧ୍ୟ ରଥଯାତ୍ରାବେଳେ ନନ୍ଦିଘୋଷ ରଥ ବଳଗଣ୍ଡିରେ ରହି ସେ ପୂର୍ବସ୍ମୃତି ମନେପକାଏ । ସାଲବେଗଙ୍କ ପାଇଁ ଏହିଠାରେ ରଥ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ ଦିନ ଦିନ ଧରି ଅପେକ୍ଷା କରିଥିଲେ । ଏହି ମନୋଜ୍ଞ ଭକ୍ତି ରସାତ୍ମକ କଥାକୁ ଉପଲବ୍ଧି କରି ରଚିତ ହୋଇଛି ଭକ୍ତ ସାଲବେଗ । ତାଙ୍କ ସ୍ୱରଚିତ ୮ଟି ସଙ୍ଗୀତ ସଂଯୋଜନା ସହିତ ଆରୋହଣ ସଂସ୍ଥା ପକ୍ଷରୁ ମଞ୍ଚସ୍ଥ ନାଟକଟି ବେଶ୍ ଭକ୍ତି ରସାତ୍ମକ ହୋଇପାରିଛି । ଏଥିରେ ବୃନ୍ଦାବନରେ ସାଲବେଗଙ୍କ ରହଣି ସମୟରେ ରାସଲୀଳାର ଝଲକ୍ ମେଧ୍ୟ ଦେଖାଯାଇଛି । ସମସ୍ତ କଳକାରଙ୍କର ନିଖୁଣ ଅଭିନୟ ସହିତ ଓ ନୃତ୍ୟର ଅପୂର୍ବ ସମନ୍ୱୟରେ ନାଟକଟି ସମସ୍ତ ଦର୍ଶକଙ୍କର ହୃଦୟସ୍ପର୍ଶୀ ହୋଇପାରିଥିଲା । ଆଜିର ଦିନରେ ଭକ୍ତି କଥାମୃତ ନାଟକ ପ୍ରତି ଯୁବଗୋଷ୍ଠୀର ଆଗ୍ରହ କମୁଥିବା ବେଳେ ଭକ୍ତ ସାଲବେଗ ଯେ, ବେଶ ସାମାଜିକ ଉପଯୋଗୀ ଓ ଯୁବଗୋଷ୍ଠୀଙ୍କୁ ଆକୃଷ୍ଠ କରିପାରିଛି ଯାହାର ଉଦାହରଣ ହେଉଛି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ଭକ୍ତ ସାଲବେଗ । ନାଟକଟିକୁ ରଚନା କରିଥିଲେ ଡ. ଶୈଳେଶ୍ୱର ନନ୍ଦ ଏବଂ ନିର୍ଦ୍ଦେଶନା ଦେଇଥିଲେ ପ୍ରୀତିରଞ୍ଜନ ମିଶ୍ର ଏବଂ କଳାକାର ହେଲେ ପ୍ରଦୀପ ମିଶ୍ର, ପ୍ରଦୀପ ପାଇକରାୟ, ଦେବାଶିଷ ସାହୁ,ରାଜୀବ ଡାଳୁଆ, ଭାନପ୍ରକାଶ ସ୍ୱାଇଁ, ମନୋଜ କୁମାର ରାଉତରାୟ, ସଞ୍ଜୀବ ଓ ପିୟୂଷ ।