Home ଦେଶ ବିଦେଶ ଷ୍ଟାଲିନଙ୍କ ପାଇଁ ପରୀକ୍ଷା ଦୁଇ ଉପନିର୍ବାଚନ

ଷ୍ଟାଲିନଙ୍କ ପାଇଁ ପରୀକ୍ଷା ଦୁଇ ଉପନିର୍ବାଚନ

ଚେନ୍ନଇ: ତାମିଲନାଡୁରେ ପାଞ୍ଚପାଳି ଧରି ମୁଖ୍ୟମନ୍ତ୍ରିତ୍ୱ ନିର୍ବାହ କରିଥିବା ତଥା ଡିଏମ୍କେର ସୁପ୍ରିମୋ ଏମ୍. କରୁଣାନିଧିଙ୍କ ପରଲୋକ ହେବା ଏକ ସପ୍ତାହ ବିତିଗଲାଣି । କରୁଣାନିଧିଙ୍କ ବଡ଼ପୁଅ ୬୭ ବର୍ଷୀୟ ଏମ୍କେ ଆଲାଗିରି ଦାବି କରୁଛନ୍ତି ଦଳର କ୍ୟାଡର୍ମାନେ ତାଙ୍କ ସପକ୍ଷରେ ଅଛନ୍ତି । ଏପରି ବିବୃତି ଦେବା ଫଳରେ ବଡ଼ଭାଇ ଆଲାଗିରି ଓ ସାନଭାଇ ତଥା ଦଳର କାର୍ଯ୍ୟକାରୀ ସଭାପତି ୬୫ ବର୍ଷୀୟ ଏମ୍କେ ଷ୍ଟାଲିନଙ୍କ ମଧ୍ୟରେ ଥିବା ସମ୍ପର୍କରେ ଚାପ ସୃଷ୍ଟି ହୋଇଛି । ଆଲାଗିରି ପିତାଙ୍କ ଅନୁଗତ ମାନଙ୍କ ସମର୍ଥନ ପାଉଥିବା ଦାବି କରୁଥିଲେ ବି ଗତ ୩ ବର୍ଷରୁ ଊଦ୍ଧ୍ୱର୍ ହେବ ପ୍ରାୟ ଚର୍ଚ୍ଚାରେ ନାହାନ୍ତି । ଦଳ ବିରୋଧୀ କାର୍ଯ୍ୟ ନେଇ ୨୦୧୪ ଜାନଆରୀରେ ଦଳ ତାଙ୍କୁ ସସ୍ପେଣ୍ଡ କରିଥିଲା । ତେବେ ୯୪ ବର୍ଷୀୟ ତାଙ୍କ ପିତା କରୁଣାନିଧି ଗୋପାଳପୁରମ୍ସ୍ଥିତ ବାସଭବନରେ ଗୁରୁତର ଥିବା ଓ ପରବର୍ତ୍ତୀ ସମୟରେ କାଭେରୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିୟମିତ ଭାବରେ ସେଠାକୁ ସେ ଯା’ଆସ କରିବା ଲକ୍ଷ୍ୟ କରାଯାଇଥିଲା । ଏପରିକି କରୁଣାନିଧିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଦିନ ଆଲାଗିରିଙ୍କୁ କେହି ହେଲେ ଗୁରୁତ୍ୱ ଦେଇନଥିଲେ । ନିକଟରେ ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଡିଏମ୍କେର ବହୁ ନେତା ତାଙ୍କୁ ଥଳପତି ବା କମାଣ୍ଡର ଭାବରେ ଗ୍ରହଣ କରିବା ସାଙ୍ଗକୁ ଦଳର ସଭାପତି ପଦ ଖୁବ୍ଶୀଘ୍ର ଗ୍ରହଣ କରିବାକୁ ଯାଉଥିବା ସୂଚାଇ ତାଙ୍କର ଆଦେଶମାନିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଥିଲେ । ଷ୍ଟାଲିନଙ୍କଠାରେ ଡିଏମ୍କେର ପ୍ରତିଷ୍ଠାତା ସିଏନ୍ ଆନ୍ନାଦୁରାଇ ବା ଆନ୍ନାଙ୍କ ସମେତ କରୁଣାନିଧି (କଲାଇନାର)ଙ୍କ ଦକ୍ଷତା ଉଦ୍ଭାସିତ । ତାମିଲନାଡୁରେ କେହି ତାଙ୍କୁ ପରାଜିତ କରିପାରିବେ ନାହିଁ । ତାଙ୍କ ନିକଟରେ ଦଳକୁ ନେତୃତ୍ୱ ଦେବାର ସମସ୍ତ ଗୁଣ ନିହିତ । ଏପରି ଭାବରେ ଡିଏମ୍କେର ବହୁ ନେତା ଷ୍ଟାଲିନଙ୍କୁ ସମର୍ଥନ କରିଛନ୍ତି । କିନ୍ତୁ ଆଲାଗିରି ନିଜ ସପକ୍ଷରେ ଦଳର କ୍ୟାଡର୍ମାନେ ଥିବା କହି ମିଥ୍ୟା ବାହାସ୍ଫୋଟ ମାରିବା ସଦୃଶ ହୋଇଛି । କେବଳ ସେତିକି ନୁହେଁ ଡିଏମ୍କେରେ ପୁଣି ପ୍ରବେଶ କରି ତୁଙ୍ଗ ପଦବୀ ହାତେଇବା ପାଇଁ ଉଦ୍ୟମ ଯେଭଳି କରୁଛନ୍ତି ସେ ନେଇ ନାନା ସମାଲୋଚନା ପ୍ରକାଶ ପାଉଛି । କରୁଣାନିଧି ଯେତେବେଳେ ଜୀବିତ ଥିଲେ । ଦଳରୁ ଆଲାଗିରିଙ୍କୁ ଖୋଦ୍ କରୁଣାନିଧି ସସ୍ପେଣ୍ଡ କରିଥିଲେ । ତେଣୁ ଏହି ଅଧ୍ୟାୟ ସେହିକାଳୁ ଶେଷ ହୋଇଛି । କିନ୍ତୁ ପୁନର୍ବାର ଦଳକୁ ଫେରିବା ଲାଗି ତାଙ୍କର ଉଦ୍ୟମ ଲୋକହସା ଛଡ଼ା ଆଉ କିଛି ନୁହେଁ । ଆଲାଗିରିଙ୍କ ପୂର୍ବ ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ୮୦ ଦଶକରେ ଦଳର ମୁଖପତ୍ର ମୁରାସୋଲିର ପରିଚାଳନା କରିବା ଲାଗି ସେ ମଦୁରାଇ ଯାଇଥିଲେ । ସେଠାରେ ଦକ୍ଷିଣ ତାମିଲନାଡୁର ଜଣେ ଶକ୍ତିଶାଳୀ ନେତା ଭାବରେ ଉଭା ହୋଇଥିଲେ । ୨୦୦୧ରେ ଦକ୍ଷିଣ ତାମିଲନାଡୁର ବହୁ ନିର୍ବାଚନ ମଣ୍ଡଳୀରେ ବିଦ୍ରୋହୀ ପ୍ରାର୍ଥୀ ଉପସ୍ଥାପିତ କରି ଦଳରୁ ସସ୍ପେଣ୍ଡ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ଟି. କିରୁତିତାନ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ନେଇ ୨୦୦୩ ମେ’ରେ ଗିରଫ ହୋଇଥିଲେ । ଅବଶ୍ୟ ୨୦୦୮ରେ ଦୋଷମୁକ୍ତ ହୋଇଥିଲେ । ୨୦୦୭ ମେ’ରେ ତାଙ୍କର ସମର୍ଥକମାନେ ଦୈନିକ ଦିନାକରନ୍ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟାଇବା ଘଟଣା ନେଇ ସେ ଅପନିନ୍ଦିତ ହୋଇଥିଲେ । ୨୦୦୯ ଜାନୁଆରୀରେ ଡିଏମ୍କେକୁ ଫେରି ତିରୁମଙ୍ଗଳମ୍ ବିଧାନସଭା ଉପନିର୍ବାଚନରେ ଜିତିଥିଲେ । ଫଳରେ କରୁଣାନିଧି ତାଙ୍କୁ ଦଳର ଦକ୍ଷିଣ ଜୋନ୍ ସଂଗଠନ ସଂପାଦକ ଭାବରେ ଅବସ୍ଥାପିତ କରିଥିଲେ । ୨୦୦୦ମେ’ରେ ୧ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ମଦୁରାଇ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ ଏବଂ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିଲେ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ହେତୁ ୨୦୧୪ ମାର୍ଚ୍ଚରେ ଡିଏମ୍କେର ନେତୃତ୍ୱ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ବାଦ୍ ଦେଇଥିଲା । ଅପରପକ୍ଷରେ ଷ୍ଟାଲିନ ମାତ୍ର ୧୪ ବର୍ଷ ବୟସରୁ ନିଜ ପିତାଙ୍କ ଭଳି ଦଳରେ ଯୋଗଦାନ କରିବା ସାଙ୍ଗକୁ ପଦବୀ ପରେ ପଦବୀ ଆରୋହଣ କରିଚାଲିଛନ୍ତି । କରୁଣାନିଧି ତାଙ୍କ ପୁତ୍ର ମୁଥୁ ଉତ୍ତରାଧିକାରୀ ଭାବରେ ଦଳର କାର୍ଯ୍ୟ କରିବେ ବୋଲି ବିଶ୍ୱାସ ରଖିଥିଲେ । କିନ୍ତୁ ତାହା ସଫଳ ହୋଇପାରି ନ ଥିଲା । ଷ୍ଟାଲିନ ଦଳକୁ ନିଷ୍ଠାପର ଭାବେ ସମ୍ଭାଳିବା ,ନିର୍ବାଚନ ବେଳେ କାହା ସହ ମେଣ୍ଟ କରାଯିବ ତାହାକୁ ତୁଲାଇବା ଓ ଦଳର କ୍ୟାଡର୍ମାନଙ୍କୁ ନେଇ ରଣନୀତି ତିଆରି କରିବାରେ କରୁଣାନିଧିଙ୍କ ପଦାନୁସରଣ କରୁଥିବା ହେତୁ ଷ୍ଟାଲିନଙ୍କ ସପକ୍ଷରେ ଦଳର କ୍ୟାଡର୍ମାନେ ଥିବା ଲକ୍ଷ୍ୟ କରାଯାଏ । ଯାହା ଜଣାପଡୁଛି ଆଲାଗିରି ଓ ଷ୍ଟାଲିନଙ୍କ ମଧ୍ୟରେ ଦଳର ନେତୃତ୍ୱ ନେଇ ଯୁଦ୍ଧ ଆଗାମୀ ଦିନରେ ମଧ୍ୟ ଚାଲିବ । ତେବେ ଆଗକୁ ତିରୁପରନକୁନ୍ଦ୍ରମ ଓ ଥିରୁଭାରୁର ଆସନରେ ଉପନିର୍ବାଚନ ହେବ । ଯଦି ଡିଏମ୍କେ ଏହି ଦୁଇ ଆସନ ପାଇବାରେ ବ୍ୟର୍ଥ ହୁଏ ତେବେ ଷ୍ଟାଲିନଙ୍କୁ ଦଳର ନେତୃତ୍ୱ ସମ୍ଭାଳିବା ନେଇ ସମସ୍ୟା ଉପୁଜିବା ନିଶ୍ଚିତ । ତେଣୁ ଆଗାମୀ ଦୁଇ ବିଧାନସଭା ଆସନର ଉପନିର୍ବାଚନ ଷ୍ଟାଲିନଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ, ଏଥିରେ ସନ୍ଦେହ ନାହିଁ ।