Home ଦେଶ ବିଦେଶ ରାଜ୍ୟସଭା ନିର୍ବାଚନରେ ରହିବନି ‘ନୋଟା’ : ସୁପ୍ରିମକୋର୍ଟ

ରାଜ୍ୟସଭା ନିର୍ବାଚନରେ ରହିବନି ‘ନୋଟା’ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ବାଲାଟ୍ ପେପରରେ ‘ନୋଟା’ (ନନ୍ ଅଫ୍ ଦଏବଭ) ରହିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ନେଇ ଭାରତର ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦିପକ ମିଶ୍ର, ବିଚାରପତି ଜଷ୍ଟିସ ଏଏମ ଖାନ୍ୱାଲକର ଏବଂ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ରାଜ୍ୟସଭା ନିର୍ବାଚନ ବାଲାଟ୍ ପେପରରେ ନୋଟା ବିକଳ୍ପ ରଖାଯିବା ସମ୍ପର୍କିତ ବିଜ୍ଞପ୍ତିକୁ ଖାରଜ କରିଦେବା ସହିତ ରାଜ୍ୟସଭା ନିର୍ବାଚନରେ ବାଲାଟ ପେପରରେ ନୋଟା ବ୍ୟବସ୍ଥା ରହିପାରିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ଦ୍ୱାରା ପରୋକ୍ଷ ଭାବେ ସମାନୁପାତିକ ଭାବେ ରାଜ୍ୟଗୁଡିକ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଉଥିବାରୁ ଏଥିରେ ନୋଟା ବିକଳ୍ପ ପାଇଁ ସୁଯୋଗ ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନୋଟା କେବଳ ମତଦାନ ପାଇଁ ଉଦ୍ଦିଷ୍ଟ । ଏହାକୁ ରାଜ୍ୟସଭା ନିର୍ବାଚନରେ ପ୍ରୟୋଗ କରାଯାଇପାରିବ ନାହିଁ । ସୂଚନାଯୋଗ୍ୟ ଯେ, ଗୁଜରାଟ ବିଧାନସଭାରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ଶୈଳେଶ ମନୁଭାଇ ପାରମା ରାଜ୍ୟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତ ବାଲାଟ ପେପରରେ ନୋଟା ବିକଳ୍ପ ଥିବାରୁ ସେ ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ । ଏ ନେଇ ପୂର୍ବରୁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଥିଲେ । ତେବେ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ଯାହାକି ନିର୍ବାଚନ କମିଶନଙ୍କୁ ଏକ ଶକ୍ତ ଝଟ୍କା ଦେଇଥିବା କୁହାଯାଉଛି ।